ମାନବାଧିକାର ସୁରକ୍ଷା ଆଇନ ,୧୯୯୩ ର (ଏହା ପରଠାରୁ କେବଳ ‘ଆଇନ ‘ କୁହାଯିବ) ୨ ଧାରା ଅନୁଯାୟୀ, ମାନବାଧିକାର କହିଲେ ସମ୍ବିଧାନ ଦ୍ୱାରା ସ୍ୱୀକୃତ ବା ଆନ୍ତର୍ଜାତିକ ଚୁକ୍ତିଗୁଡିକରେ ଲିପିବଦ୍ଧ ହୋଇ ରହିଥିବା ଏବଂ ଭାରତରେ ବିଚାରାଳୟମାନଙ୍କ ଦ୍ୱାରା ମାନିବା ପାଇଁ ବାଧ୍ୟ କରି କାର୍ଯ୍ୟକାରୀ କରାଯାଉଥିବା ବ୍ୟକ୍ତିବିଶେଷଙ୍କ ଜୀବନ, ସ୍ୱାଧୀନତା, ସମାନତା ଓ ସମ୍ମାନ ସମ୍ପର୍କିତ ଅଧିକାରଗୁଡିକୁ ବୁଝାଇଥାଏ |
‘ ଆନ୍ତର୍ଜାତିକ ଚୁକ୍ତିନାମାଗୁଡିକର ଅର୍ଥ : ୧୬ ଡ଼ିସେମ୍ବର ୧୯୬୬ରେ ମିଳିତ ଜାତିସଂଘର ସାଧାରଣ ପରିଷଦ ଦ୍ୱାରା ବେସାମରିକ ଓ ରାଜନୈତିକ ଅଧିକାର ଉପରେ ଏବଂ ଅର୍ଥନୈତିକ,ସାମାଜିକ ଓ ସାଂସ୍କୃତିକ ଅଧିକାର ଉପରେ ଗୃହୀତ ଆନ୍ତର୍ଜାତିକ ଚୁକ୍ତିନାମାଗୁଡିକ ‘|
ଆୟୋଗ ନିମ୍ନପ୍ରଦତ୍ତ ସମସ୍ତ ବା ଯେ କୌଣସି କାର୍ଯ୍ୟଭାର ତୁଲେଇବେ | ଯଥା :
(କ) ନିଜ ଉଦ୍ୟମରେ ବା ଜଣେ ନିଷ୍ପିଡିତ ବ୍ୟକ୍ତି ବା ତାଙ୍କ ତରଫରୁ ଯେ କୌଣସି ବ୍ୟକ୍ତି ଦେଇଥିବା ଦରଖାସ୍ତରେ ଥିବା ଅଭିଯୋଗ ଉପରେ ଅନୁସନ୍ଧାନ କରିବା-
୧. ମାନବାଧିକାର ଉଲ୍ଲଙ୍ଘନ କିମ୍ବା ତଦଜନିତ ପ୍ରୋତ୍ସାହନ ବା,
୨. ସେପରି ଉଲ୍ଲଙ୍ଘନକୁ ସରକାରୀ କର୍ମଚାରୀଙ୍କ ଦ୍ୱାରା ପ୍ରତିରୋଧ କରିବାରେ ଅବହେଳା ପ୍ରଦର୍ଶନ |
(ଖ) ସମ୍ପୃକ୍ତ ବିଚାରାଳୟର ଅନୁମୋଦନ ପୂର୍ବକ ବିଚାରାଧୀନ ଥିବା ମାନବାଧିକାର ଉଲ୍ଲଙ୍ଘନର ଯେକୌଣସି ଅଭିଯୋଗର ବିଚାର ପ୍ରକ୍ରିୟାରେ ହସ୍ତକ୍ଷେପ କରିବା |
(ଗ) ଯେକୌଣସି କାରାଗାର ବା ରାଜ୍ୟ ସରକାରଙ୍କ ପରିଚାଳନାଧିନ ଅନୁଷ୍ଠାନମାନ ଯେଉଁଠାରେ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଚିକିତ୍ସା , ବ୍ୟବହାରିକ ପରିବର୍ତ୍ତନ ବା ସୁରକ୍ଷା ଉଦ୍ଦେଶ୍ୟରେ ରଖାଯାଇଛି, ରାଜ୍ୟ ସରକାରଙ୍କ ଜ୍ଞାତସାରରେ ପରିଦର୍ଶନ କରି ଉକ୍ତ ଅନ୍ତେବାସୀମାନଙ୍କର ଜୀବନ ଧାରଣର ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ ପୂର୍ବକ ତାହାର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାରଙ୍କୁ ବିହିତ ପଦକ୍ଷେପ ନେବାକୁ ସୁପାରିଶ କରିବେ |
(ଘ) ମାନବାଧିକାର ସୁରକ୍ଷା ପାଇଁ ବର୍ତ୍ତମାନ ବଳବତ୍ତର ରହିଥିବା ଯେକୌଣସି ଆଇନ ବା ସାମ୍ବିଧାନିକ ବ୍ୟବସ୍ଥାର ସମୀକ୍ଷା କରି ସେଗୁଡିକର ଫଳପ୍ରଦ କାର୍ଯ୍ୟକାରିତା ପାଇଁ ବିଭିନ୍ନ ପଦକ୍ଷେପ ନେବା ସମ୍ବନ୍ଧରେ ସୁପାରିଶ କରିବା |
(ଙ) ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଯୋଗୁ ମାନବାଧିକାର ପ୍ରତିହତ ହେଉଥିବା ବିଷୟଗୁଡିକ ସମୀକ୍ଷା କରି ଉପଯୁକ୍ତ ପ୍ରତିକାରାତ୍ମକ ପଦକ୍ଷେପ ନେବାପାଇଁ ସୁପାରିଶ କରିବା |
(ଚ) ମାନବାଧିକାର କ୍ଷେତ୍ରରେ ଗବେଷଣା କାର୍ଯ୍ୟ ହାତକୁ ନେଇ ତାର ବିକାଶ କରିବା |
(ଛ) ସମାଜର ବିଭିନ୍ନ ଶ୍ରେଣୀ ମଧ୍ୟରେ ମାନବାଧିକାର ସଚେତନତା କାର୍ଯ୍ୟକ୍ରମର ପ୍ରସାର କରିବା ଏବଂ ଏ ସମ୍ବନ୍ଧରେ ପୁସ୍ତିକା ଓ ପତ୍ରିକା ଆଦି ପ୍ରକାଶନ, ଗଣମାଧ୍ୟମ, ଆଲୋଚନା ଚକ୍ର ଏବଂ ଅନ୍ୟାନ୍ୟ ଉପାୟରେ ଏହି ଅଧିକାରଗୁଡିକର ସୁରକ୍ଷା ପାଇଁ ମିଳୁଥିବା ବ୍ୟବସ୍ଥା ସମ୍ପର୍କରେ ଜନମାନସରେ ସଚେତନତା ବୃଦ୍ଧି କରିବା |
(ଜ) ମାନବାଧିକାର କ୍ଷେତ୍ରରେ କାର୍ଯ୍ୟରତ ବେସରକାରୀ ସଙ୍ଗଠନ ଓ ପ୍ରତିଷ୍ଠାନ ଗୁଡିକର ଉଦ୍ୟମକୁ ଉତ୍ସାହିତ କରିବା |
(ଝ) ମାନବାଧିକାର ସୁରକ୍ଷା ପାଇଁ ଆବଶ୍ୟକ ମନେକରାଯାଉଥିବା ସେହିଭଳି ଅନ୍ୟ କାର୍ଯ୍ୟ ସମ୍ପାଦନ କରିବା |
ଏହି ଆଇନ ଅନୁସାରେ ଦାଖଲ ହୋଇଥିବା ଅଭିଯୋଗଗୁଡିକର ଅନୁସନ୍ଧାନ କରିବା ପାଇଁ ଦେୱାନୀ ଦଣ୍ଡବିଧି ଆଇନ, ୧୯୦୮ ବିଧି ବ୍ୟବସ୍ଥା ବଳରେ ମୋକଦ୍ଦମା ବିଚାର କରୁଥିବା ଦେୱାନୀ ଅଦାଲତର ସମସ୍ତ କ୍ଷମତା ଆୟୋଗର ରହିବ ଏବଂ ବିଶେଷକରି ନିମ୍ନୋକ୍ତ ବିଷୟଗୁଡ଼ିକରେ କ୍ଷମତା ରହିବ :
(କ) ସାକ୍ଷୀମାନଙ୍କୁ ଅଦାଲତରେ ହାଜର ହେବ ପାଇଁ ଆଦେଶ ଦେବା, ସେମାନଙ୍କର ଉପସ୍ଥିତିକୁ ନିଶ୍ଚିତ କରାଇବା ଏବଂ ଶପଥ ଦେଇ ସେମାନଙ୍କୁ ଜେରା କରିବା |
(ଖ) ଯେକୌଣସି ଦସ୍ତାବିଜକୁ ଖୋଜି ବାହାର କରି ଅଦାଲତରେ ଉପସ୍ଥାପିତ କରିବା |
(ଗ) ଶପଥ ପତ୍ର ମାଧ୍ୟମରେ ତଥ୍ୟ ଗ୍ରହଣ |
(ଘ) ଯେକୌଣସି ଅଦାଲତ ବା କାର୍ଯ୍ୟାଳୟରୁ କୌଣସି ସରକାରୀ ନଥିପତ୍ର ବା ତାର ନାକାଳକୁ ଲିଖିତ ଆଦେଶ ବଳରେ ମଗାଇବା |
(ଙ) ସାକ୍ଷୀ ବା ଦସ୍ତାବିଜ ପରୀକ୍ଷା କରିବା ପାଇଁ ପରୱାନା ଜାରୀ କରିବା |
(ଚ) ଅନ୍ୟ ଯେକୌଣସି ବିଷୟ ନିର୍ଦ୍ଧାରିତ କରିବା |
ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗଗୁଡିକର ତଦନ୍ତ କରିବାପାଇଁ ଜଣେ ଅନୁସନ୍ଧାନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଆୟୋଗର ଏକ ନିଜସ୍ୱ ତଦନ୍ତକାରୀ ଦଳ ରହିଛି | ଆଇନ ଅନୁଯାୟୀ, ରାଜ୍ୟ ସରକାରଙ୍କ ଯେକୌଣସି ପଦାଧିକାରୀ ବା ଅନୁସନ୍ଧାନକାରୀ ସଂସ୍ଥାକୁ ବ୍ୟବହାର କରିପାରିବାର କ୍ଷମତା ମଧ୍ୟ ଆୟୋଗର ରହିଛି |
ପ୍ରତ୍ୟେକ ଅଭିଯୋଗ ପତ୍ରରେ ଯେଉଁ ବିଷୟରେ ଅଭିଯୋଗ କରାଯାଉଥିବ ତାର ସମ୍ପୂର୍ଣ ତଥ୍ୟ ସହ ପୂର୍ଣ୍ଣାଙ୍ଗ ବିବରଣୀ ଏବଂ ଘଟଣା ଘଟିବାର ତାରିଖ ତଥା କି ପ୍ରକାର ସାହାଯ୍ୟ ଆଶା କରାଯାଇଛି ତାହା ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯିବ |
(କ) ପ୍ରତ୍ୟେକ ଅଭିଯୋଗ ପତ୍ର, ଅଭିଯୋଗକାରୀ ବା ତାଙ୍କ ତରଫରୁ ଦାଖଲ କରୁଥିବା ବ୍ୟକ୍ତିଙ୍କ ଦସ୍ତଖତରେ ଦାଖଲ କରାଯିବ | କିନ୍ତୁ ଅଭିଯୋଗ ପତ୍ର ଯେଉଁ ମାଧ୍ୟମରେ ପ୍ରେରଣ କରିବେ ଏବଂ ସେଥିରେ ଯଦି ସ୍ଵାକ୍ଷର କରିବା ସମ୍ଭବପର ହୋଇନଥାଏ, ତାହେଲେ ସ୍ଵାକ୍ଷର କରାଯାଇଥିବା ଅଭିଯୋଗ ପତ୍ରର ଏକ ନକଲ ଡାକ ଦ୍ୱାରା ଏକ ସମୟରେ ଆୟୋଗଙ୍କ ପାଖକୁ ପଠାଇବାକୁ ପଡିବ |
(ଖ) ଅଭିଯୋଗ ପତ୍ରରେ ଅଭିଯୋଗକାରୀଙ୍କର ବା ସମସ୍ତ ଅଭିଯୋଗକାରୀମାନଙ୍କର ନାମ ଓ ପୁରା ଠିକଣା ରହିବ ଏବଂ ଯଦି ଅଭିଯୋଗକାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଅଭିଯୋଗ ଫର୍ଦ୍ଦ ଦାଖଲ କରୁଥାନ୍ତି, ଅଭିଯୋଗ କରୁଥିବା ବ୍ୟକ୍ତି ଓ ଅସୁବିଧାର ସମ୍ମୁଖୀନ ହୋଇଥିବା ସମସ୍ତ ବ୍ୟକ୍ତିମାନଙ୍କର ନାମ ଓ ପୂର୍ଣ୍ଣ ଠିକଣା ରହିବ |
(ଗ) ଅଭିଯୋଗ ବା ଅଭିଯୋଗର କାରଣ ସମ୍ପର୍କିତ ବିଷୟବସ୍ତୁ କୌଣସି ଅଦାଲତ ବା ଟ୍ରିବୁନାଲରେ ବିଚାରାଧୀନ ନାହିଁ | ଜାତୀୟ ମାନବାଧିକାର ଆୟୋଗ ବା ଅନ୍ୟ କୌଣସି ଆୟୋଗର ବିଚାରଧୀନ ନାହିଁ ଏବଂ କୌଣସି ଆୟୋଗର ନ୍ୟାୟିକ ରାୟ ବା ନିଷ୍ପତ୍ତିର ଅନ୍ତର୍ଭୁକ୍ତ ନୁହେଁ ବୋଲି ଗୋଟିଏ ସତ୍ୟ ସ୍ୱୀକୃତି ଅଭିଯୋଗ ପତ୍ରରେ ନିଶ୍ଚୟ ଲିପିବଦ୍ଧ କରାଯିବ |
(ଘ) ଯଦି ଆବଶ୍ୟକ ମନେହୁଏ, ଆୟୋଗ ଅଭିଯୋଗରୁ ସୃଷ୍ଟ ବା ଅଭିଯୋଗ ସମ୍ପର୍କିତ ଯେକୌଣସି ବିଷୟ ସମ୍ପର୍କରେ ଅଧିକ ତଥ୍ୟ ଦାଖଲ କରିବାକୁ କହିପାରନ୍ତି ବା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି |
ସାଧାରଣତଃ ଇଂରାଜୀ, ହିନ୍ଦୀ ବା ଓଡ଼ିଆରେ ଲିଖିତଭାବେ ଆୟୋଗଙ୍କ ନିକଟରେ ଅଭିଯୋଗ ଦାଖଲ କରାଯିବ ଉଚିତ | ଯଦି ଅଭିଯୋଗକାରୀ ବା ଅଭିଯୋଗକାରିଣୀ ସହିତ ସମ୍ପୃକ୍ତ ବ୍ୟକ୍ତି ଇଂରାଜୀ,ହିନ୍ଦୀ ବା ଓଡ଼ିଆ ଜାଣିନଥାନ୍ତି, ଆୟୋଗ ସମ୍ବିଧାନର ଅଷ୍ଟମ ସୂଚୀରେ ଉଲ୍ଲେଖଥିବା ଯେକୌଣସି ଭାଷାରେ ଅଭିଯୋଗ ଗ୍ରହଣ କରିପାରନ୍ତି |
ଅଭିଯୋଗ ପତ୍ର ଦାଖଲ କରିବା ପାଇଁ କୌଣସି ଫିସ ଦେବାର ଆବଶ୍ୟକତା ନାହିଁ |
ନିମ୍ନୋକ୍ତ ପ୍ରକାରର ଅଭିଯୋଗଗୁଡିକ ଆୟୋଗ ଆଦୌ ଗ୍ରହଣ କରିବେ ନାହିଁ ଏବଂ ଏହା ମୂଳରୁ ଖାରଜ ହୋଇଯିବ |
(କ) ଅସ୍ପଷ୍ଟ, ବେନାମୀ ଓ ଛଦ୍ମନାମୀ ଅଭିଯୋଗଗୁଡିକ |
(ଖ) ଅନିର୍ଦ୍ଦିଷ୍ଟ, ଗୁରୁତ୍ୱହୀନ ବା ତୁଚ୍ଛ ଅଭିଯୋଗଗୁଡିକ |
(ଗ) ଯେଉଁ ଅଭିଯୋଗଗୁଡିକରୁ ଆପାତତଃ ନିର୍ଦ୍ଦିଷ୍ଟ ମାନବାଧିକାର ଉଲ୍ଲଙ୍ଘନର କୌଣସି ପ୍ରମାଣ ମିଳି ନଥାଏ |
(ଘ) ରାଜ୍ୟ ଆୟୋଗ ବା ବର୍ତ୍ତମାନ ପାଇଁ ବଳବତ୍ତର ଥିବା କୌଣସି ଆଇନରେ ଯଥାଯଥା ଭାବେ ଗଠିତ ଅନ୍ୟ କୌଣସି ଆୟୋଗ ନିକଟରେ ବିଚାରାଧୀନ ଅଭିଯୋଗଗୁଡିକ |
(ଙ) ମାନବାଧିକାର ଉଲ୍ଲଙ୍ଘନ କରାଯାଇଥିବା ବା କୁହାଯାଇଥିବା ନିର୍ଦ୍ଦିଷ୍ଟ ତାରିଖରୁ ଏକ ବର୍ଷ ପୂର୍ଣ୍ଣ ହୋଇସାରିବା ପରେ ଏଥିସହିତ ଜଡିତ ଥିବା କୌଣସି ବିଷୟରେ ଅଭିଯୋଗ |
(ଚ) ସମ୍ପତ୍ତି ଅଧିକାର, ଚୁକ୍ତିଗତ ଦୟଟା ଏବଂ ସେହିପରି ଅନ୍ୟାନ୍ୟ ଦେୱାନୀ ବିବାଦ ସମ୍ପର୍କିତ ଅଭିଯୋଗଗୁଡିକ |
(ଛ) ଉପଭୋକ୍ତା ସୁରକ୍ଷା ଆଇନ, ୧୯୮୬ ର ବିଭିନ୍ନ ବ୍ୟବସ୍ଥା ପରିସରଭୁକ୍ତ ସେବାରେ ତ୍ରୁଟିଜନିତ ଅଭିଯୋଗଗୁଡିକ |
(ଜ) ମାନବାଧିକାର ସୁରକ୍ଷା ଅଧିନିୟମ , ୧୯୯୩ ଅନ୍ତର୍ଗତ ଧାରା ୨ (ଘ) ରେ ପରିଭାଷିତ ମାନବାଧିକାର ଉଲ୍ଲଙ୍ଘନ କରୁନଥିବା ସେବା ସର୍ତ୍ତ ବା ସେବା ନିୟମରୁ ଉଭୁତ ସେବା ସମ୍ପର୍କିତ ଅଭିଯୋଗମାନ |
(ଝ) ଶ୍ରମ ବା ଶିଳ୍ପ ବିବାଦ ସମ୍ପର୍କିତ ଅଭିଯୋଗ ( ୨୦.୪.୨୦୧୨ ଠାରୁ ପ୍ରଭାବୀ )
(ଞ) କୌଣସି ବିଚାରାଳୟ ବା ଟ୍ରିବୁନାଲରେ ବିଚାରାଧୀନ ଥିବା କିମ୍ବା କୌଣସି ନ୍ୟାୟିକ ରାୟ ପରିସରଭୁକ୍ତ କୌଣସି ବିଷୟ ସମ୍ପର୍କିତ ଅଭିଯୋଗଗୁଡିକ |
(ଟ) ଜାତୀୟ ମାନବାଧିକାର ଆୟୋଗ ବା ବର୍ତ୍ତମାନ ପାଇଁ ବଳବତ୍ତର ଥିବା କୌଣସି ଆଇନରେ ଯଥାରୀତିରେ ଗଠିତ ଅନ୍ୟ କୌଣସି ଆୟୋଗ ଦ୍ୱାରା ଅନୁସନ୍ଧାନ କରାଯାଉଥିବା ବିଷୟ ସମ୍ପର୍କିତ ଏବଂ ଜାତୀୟ ମାନବାଧିକାର ଆୟୋଗ ବା ସେହିପରି ଅନ୍ୟ କୌଣସି ଆୟୋଗର ନିଷ୍ପତ୍ତି ପରିସରଭୁକ୍ତ ବିଷୟଗୁଡିକ ସମ୍ପର୍କିତ ଅଭିଯୋଗଗୁଡିକ |
(ଠ) ଅନ୍ୟ କୌଣସି ଅଧିକର୍ତ୍ତାଙ୍କ ଠିକଣାରେ ପ୍ରେରଣ କରାଯାଇଥିବା ଯେଉଁ ଅଭିଯୋଗଗୁଡିକର ନକଲ ଆୟୋଗରେ ପ୍ରାପ୍ତି ହୋଇଥିବ |
(ଡ) ଓଡିଶା ରାଜ୍ୟର ଭୌଗଳିକ ସୀମା ମଧ୍ୟରେ ଘଟିନଥିବା ଘଟଣା ବା ଆନୁସଙ୍ଗିକ ଘଟଣା ସମ୍ପର୍କିତ ଅଭିଯୋଗଗୁଡିକ |
(ଢ) ଅନ୍ୟ କୌଣସି କାରଣରୁ ଆୟୋଗଙ୍କ ପରିସର ବାହାରେ ଥିବା ବିଷୟ ସମ୍ପର୍କିତ ଅଭିଯୋଗଗୁଡିକ |
ମାନବାଧିକାର ଉଲ୍ଲଙ୍ଘନଜନିତ ଅଭିଯୋଗଗୁଡିକ ତଦନ୍ତ କରୁଥିବାବେଳେ ଆୟୋଗ ରାଜ୍ୟ ସରକାରଙ୍କଠାରୁ ତାଙ୍କ ଅଧସ୍ତନ ଯେକୌଣସି ସଂଗଠନ ଠାରୁ ଏହାଦ୍ୱାରା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ତଥ୍ୟ ବା ବିବରଣୀ ତଲବ କରିପାରିବେ | ଆୟୋଗ ଦ୍ୱାରା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯଦି ମଗାଯାଇଥିବା ତଥ୍ୟ ବା ବିବରଣୀ ନ ପହଞ୍ଚେ, ଆୟୋଗ ନିଜ ଆଡୁ ଅଭିଯୋଗର ତଦନ୍ତ କରିବାକୁ ଆଗେଇଯିବେ | ଅପରପକ୍ଷରେ, ଯଦି ଆବଶ୍ୟକ ତଥ୍ୟ ହସ୍ତଗତ ହେବାପରେ ଆୟୋଗ ଉପଲବ୍ଧି କରନ୍ତି ଯେ ଆଉ ଅଧିକ ତଦନ୍ତର କୌଣସି ଆବଶ୍ୟକତା ନାହିଁ ବା ସମ୍ପୃକ୍ତ ସରକାର ବା ଅଧିକର୍ତ୍ତା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଛନ୍ତି, ଏହି ଅଭିଯୋଗକୁ ନେଇ ଆୟୋଗ ଆଉ ଅଧିକ ଅଗ୍ରସର ନ ହୋଇ ଅଭିଯୋଗକାରୀଙ୍କ ଏ ସମ୍ବନ୍ଧରେ ଜଣାଇଦେବେ |
ତଦନ୍ତ ଚାଲୁ ରହିଥିବା ସମୟରେ ବା ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାପରେ, ଆୟୋଗ ନିମ୍ନରେ ପ୍ରଦତ୍ତ ଯେ କୌଣସି ପଦକ୍ଷେପ ଗ୍ରହଣ କରିପାରନ୍ତି :
(କ) ତଦନ୍ତରେ ମାନବାଧିକାର ଉଲ୍ଲଙ୍ଘନ ବା ଜଣେ ସରକାରୀ କର୍ମଚାରୀଙ୍କ ଦ୍ୱାରା ମାନବାଧିକାର ଉଲ୍ଲଙ୍ଘନକୁ ପ୍ରତିରୋଧ କରିବାରେ ଅବହେଳା ପ୍ରଦର୍ଶନ ଜଣାପଡ଼ିଲେ,ସମ୍ପୃକ୍ତ ବ୍ୟକ୍ତି ବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କିମ୍ବା ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଆୟୋଗ ସମ୍ପୃକ୍ତ ସରକାର ବା ଅଧିକର୍ତ୍ତାଙ୍କୁ ସୁପାରିଶ କରିପାରିବେ |
(ଖ) ଆବଶ୍ୟକ ମାନେ କରୁଥିବା ନିର୍ଦ୍ଦେଶନାମା, ଆଦେଶନାମା ବା ଅନୁଜ୍ଞା ଦେବା ନିମନ୍ତେ ଆୟୋଗ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ |
(ଗ) ଅଭିଯୋଗକାରୀ ବା ତାଙ୍କ ପରିବାର ସଦସ୍ୟମାନଙ୍କୁ ଆୟୋଗ ଯଥାର୍ଥ ବିଚାରିଥିବା ପରିମାଣର କ୍ଷତିପୂରଣ ବା ସାହାଯ୍ୟ ଦେବାପାଇଁ ସମ୍ପୃକ୍ତ ସରକାର ବା ଅଧିକର୍ତ୍ତାଙ୍କୁ ସୁପାରିଶ କରିପାରିବେ |
ଆୟୋଗଙ୍କ ରିପୋର୍ଟ / ସୁପାରିଶ ଉପରେ ଅଧିକର୍ତ୍ତା/ ରାଜ୍ୟ ସରକାର ସାଧାରଣ ଅଭିଯୋଗ କ୍ଷେତ୍ରରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ / ଟିପ୍ପଣୀକୁ ଏକ ମାସ ସମୟ କାଳ ମଧ୍ୟରେ ସୂଚାଇବାକୁ ପଡିବ |
ଶିଶୁ : (କ) ଶିଶୁ ଶ୍ରମିକ, (ଖ) ବାଲ୍ୟ ବିବାହ, (ଗ) ଶିଶୁ ବେଶ୍ୟାବୃତ୍ତି,
(ଘ) ଶିଶୁ ଶୋଷଣ, (ଙ) ମଣିଷ ବଳି, (ଚ) ଶିଶୁମାନଙ୍କୁ ନେଇ ଅନୈତିକ କାର୍ଯ୍ୟ କରାଇବା,
(ଛ) ଶିଶୁମାନଙ୍କ ପ୍ରତି ନିଷ୍ଠୁରତା, (ଜ) ଶିଶୁମାନଙ୍କୁ ଅବହେଳା |
ସ୍ୱାସ୍ଥ୍ୟ : (କ) ମାନସିକ ବିକଳାଙ୍ଗମାନଙ୍କର ଶୋଷଣ ବା ସେମାନଙ୍କ ଉପରେ ଅତ୍ୟାଚାର,
(ଖ) ସାଧାରଣ ସ୍ୱାସ୍ଥ୍ୟ ପ୍ରତି ବିପଦ,(ଗ) ଚିକିତ୍ସା ପ୍ରତିଷ୍ଠାନ / ଚିକିତ୍ସା ବୃତ୍ତିରେ ନିଯୁକ୍ତ ଥିବା
ବ୍ୟକ୍ତିମାନଙ୍କର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ |
କାରାଗାର : (କ) ଅଟକ ଅବସ୍ଥାରେ ମୃତ୍ୟୁ , (ଖ) ଅଟକ ଅବସ୍ଥାରେ ଧର୍ଷଣ,
(ଗ) ଶିଶୁବନ୍ଦୀମାନଙ୍କ ଶୋଷଣ ବା ଅତ୍ୟାଚାର,
(ଘ) ବନ୍ଦୀମାନଙ୍କୁ ଚିକିତ୍ସା ଜନିତ ସୁବିଧାରୁ ବଞ୍ଚିତ କରାଇବା,
(ଙ) ବନ୍ଦୀମାନଙ୍କୁ ଆଇନ ଜନିତ ସାହାଯ୍ୟରୁ ବଞ୍ଚିତ କରିବା,
(ଚ) ବନ୍ଦୀମାନଙ୍କୁ ଉତ୍ପୀଡ଼ନ ବା ହଇରାଣ ହରକତ,
(ଛ) କାରାଗାରରେ ଅନିୟମିତତା,
(ଜ) ବନ୍ଦୀମାନଙ୍କୁ ନିର୍ଦ୍ଧାରିତ ଖାଦ୍ୟ ନ ଦେବା,
(ଝ) ବେଆଇନ ନିର୍ଜନ କାରାବାସ |
ଅପରାଧୀ ଦଳ : (କ)ଅପରାଧୀ ଦଳଙ୍କ ଦ୍ୱାରା ଉତ୍ପୀଡ଼ନ ବା ହଇରାଣ ହରକତ,
(ଖ) ଅସାମାଜିକ ଲୋକମାନଙ୍କ ଦ୍ୱାରା ଅସଦାଚରଣ ବା ଉତ୍ପୀଡ଼ନ ଓ ହଇରାଣ ହରକତ |
ଶ୍ରମ : (କ) ଦାଦନ ଶ୍ରମିକ, (ଖ) ଶ୍ରମିକ ଶୋଷଣ, (ଗ) ବେଠି,
(ଘ) ବିପଜ୍ଜନକ ନିଯୁକ୍ତି, (ଙ) ଦାସତ୍ୱ, (ଚ) ମାନବିକ ଶ୍ରମର ଅବୈଧ କାରବାର
ସଂଖ୍ୟାଲଘୁ / ଅନୁସୂଚିତ ଜାତି ଓ ଜନଜାତି : (କ) ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ବାଛବିଚାର ବା ପକ୍ଷପାତ ନୀତି,
(ଖ) ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୁଦ୍ଧରେ ବାଛବିଚାର / ପକ୍ଷପାତ |
ଶାରୀରିକ ଭିନ୍ନକ୍ଷମ : (କ) ଶାରୀରିକ ଭିନ୍ନକ୍ଷମମାନଙ୍କୁ ଶୋଷଣ,
(ଖ) ଶାରୀରିକ ଭିନ୍ନକ୍ଷମମାନଙ୍କ ପ୍ରତି ନିଷ୍ଠୁରତା,
(ଗ) ଶାରୀରିକ ଭିନ୍ନକ୍ଷମମାନଙ୍କ ପ୍ରତି ପକ୍ଷପାତ ନୀତି ଅନୁସରଣ,
(ଘ) ଶାରୀରିକ ଭିନ୍ନକ୍ଷମମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ |
ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ : (କ) କ୍ଷମତାର ମନମୁଖୀ ବ୍ୟବହାର,
(ଖ) ଅପହରଣ/ହରଣଚାଳ,
(ଗ) ହତ୍ୟା ଉଦ୍ୟମ,
(ଘ) ଅଟକ ବନ୍ଦୀ ଅବସ୍ଥାରେ ମୃତ୍ୟୁ,
(ଙ) ଅଟକ ବନ୍ଦୀ ଅବସ୍ଥାରେ ଧର୍ଷଣ,
(ଚ) ଅଟକ ବନ୍ଦୀ ଅବସ୍ଥାରେ ନିର୍ଯ୍ୟାତନା,
(ଛ) ଅଟକ ବନ୍ଦୀ ଅବସ୍ଥାରେ ହିଂସ୍ର ଆଚରଣ,
(ଜ) ଗୁଳି ଚାଳନାରେ ମୃତ୍ୟୁ,
(ଝ) ଅପ୍ରତ୍ୟାଶିତ ସମ୍ମୁଖ ସଂଗ୍ରାମରେ ମୃତ୍ୟୁ,
(ଞ) ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳତା,
(ଟ) ମିଥ୍ୟା ମୋକଦ୍ଦମାରେ ଜଡ଼ିତ କରିବା,
(ଠ) ବେଆଇନ ଗିରଫଦାରୀ,
(ଡ) ଅଟକ ଅବସ୍ଥାରେ ସ୍ତ୍ରୀ ଲୋକଙ୍କ ଉପରେ ଅତ୍ୟାଚାର,
(ଢ) ଧର୍ଷଣ ବା ବଳାତ୍କାର,
(ଣ) ବେଆଇନ ଅଟକ,
(ତ) ନିଷ୍ପୀଡ଼ନ,
(ଥ) ପୋଲିସ ପ୍ରରୋଚିତ ଗଣ୍ଡଗୋଳ ଘଟିବା